EVM ଯାଞ୍ଚ ପାଇଁ ଆବେଦନ କଲେ ଦୀପାଳି !!!

By - Sadashiba Panda  ,,    12:25 pm

ଭୁବନେଶ୍ୱର, ୧୪/୬ (ଗଡ଼ଜାତ ବ୍ୟୁରୋ) :   ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେବେ ଭୋଟ୍‌ ଗଣତିରେ ବା ନିର୍ବାଚନରେ ଇଭିଏମ୍‌ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛି । ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି ।।

ଚଳିତ ନିର୍ବାଚନର ଭୋଟ୍‌ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୦୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା । ଏହି ନିୟମ ଆଧାରରେ ଦୀପାଳି ୦୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି । ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୦୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି । ତେବେ ନିର୍ବାଚନ କମିସନଙ୍କଠାରୁ ମଞ୍ଜୁରି ଆସିଲେ ଏକ ଇଞ୍ଜିନିୟରିଂ ଟିମ୍‌ର ଉପସ୍ଥିତିରେ ଏହି ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟିର ଯାଞ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୫୭ ଟି ବୁଥ ପାଇଁ ୧୯ ରାଉଣ୍ଡରେ ଭୋଟ୍‌ ଗଣତି ହୋଇଥିଲା । ଏଥିରେ ୧୦୯ ଟି ବୁଥରେ ବିଜେଡି ଆଗୁଆ ଥିବା ବେଳେ ୧୪୭ ଟି ବୁଥରେ ବିଜେପି ଆଗୁଆ ରହିଥିଲା । ଗୋଟିଏ ବୁଥରେ ବିଜେଡି-ବିଜେପି ଭୋଟ୍‌ ହାର ସମାନ ରହିଥିଲା । ତେବେ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୦୧ ନମ୍ବର ୱାର୍ଡ ଅର୍ଥାତ୍‌ ସରବାହାଲରେ ଖୋଦ୍‌ ଦୀପାଳିଙ୍କ ଘର ଥିବା ବେଳେ ଏହି ୱାର୍ଡରେ ମଧ୍ୟ ବିଜେପି ୩୬୭ ଭୋଟ୍‌ରେ ଆଗୁଆ ରହିଥିଲା । ଯାହାକୁ ନେଇ ବିଜେଡି ସମର୍ଥକମାନେ ଇଭିଏମ୍‌କୁ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଏହି ଘଟଣା ପରେ ବିଜେଡି ପକ୍ଷରୁ ଇଭିଏମ୍‌ ଯାଞ୍ଚ ଆବେଦନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି ।।


Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......